ଫୁଲବାଣୀରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ (TKNEWSMEDIA) 17/06/2025 : କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା କୁ ସୁଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ‍୍ ଋତୁରାଜ‍୍ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମୀଳନୀ କକ୍ଷରେ ଆଯୋଜିତ ହୋଇଛି । ପୂର୍ବ ବର୍ଷମାନଙ୍କପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ବୈଠକରେ ରାସ୍ତା ଓ କୋଠାବାଡ଼ି, ପୋଲିସ , ପୌର ପରିଷଦ,ଟାଟା ପାୱାର, ଜନ ସ୍ୱାସ୍ଥ୍ୟ, ଅବକାରୀ,ଉଦ୍ୟାନ କୃଷି, ସଂସ୍କୃତି ଆଦି ବିଭାଗ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ । ଯେହେତୁ ମାଉଷୀମାଆ ମନ୍ଦିର ଟିକେ ଦୂରରେ ଅଛି, ଯଦି ସନ୍ଧ୍ୟା ସୁଦ୍ଧା ରଥ ମନ୍ଦିରକୁ ନ ପହଞ୍ଚେ, ତେବେ ରଥ ଟଣା କାର୍ଯ୍ୟକ୍ରମ ସନ୍ଧ୍ୟା ପରେ ନକରି ରଥ ଯେଉଁ ସ୍ଥାନକୁ ପହଞ୍ଚିଛି ସେ ସ୍ଥାନରେ ରହି ତା ପରଦିନ ରଥ ଟଣା କାର୍ଯ୍ୟକ୍ରମକୁ ଚାଲୁକରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକର ଆବାହକ ତଥା ଫୁଲବାଣୀ ଉପ-ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ।

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକଙ୍କ ଆଲୋଚନାରୁ, ପ୍ରକାଶ ଯେ ତା ୨୬.୦୬.୨୦୨୫ ପ୍ରାତଃ ଘ. ୭.୦୦ମି.ରେ ନେତ୍ରୋତ୍ସବ ପୂଜା ଆରମ୍ଭ, ଦିବା ଘ. ୧୦.୩୦ ମି.ରେ ନବଯୌବନ ଦର୍ଶନ, ଦିବା ଘ.୧୧.୦୦ ମି. ରେ ରଥ ପ୍ରତିଷ୍ଠା, ତା. ୨୭.୦୬.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର୍ଯ୍ୟନ୍ତ ମଙ୍ଗଳ ଆଳତୀ, ରୋଷଘର ହୋମ, ମଇଲମ ତଡ଼ପଲାଗି, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ଅବକାଶ,ରାଜଙ୍କୁ ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ,ଛେରା ପହଁରା, ପ୍ରସାଦ ସେବନ ଇତ୍ୟାଦି ସମସ୍ତ ପୂଜାବିଧି ପରେ ଦିବା ଘ.୧.୩୦ମି. ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ।

ସେହିପରି ଭାବରେ ତା.୦୫.୦୭.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର୍ଯ୍ୟନ୍ତ ମଙ୍ଗଳ ଆରତୀ, ମଇଲମ ଓ ତଡ଼ପଲାଗି, ଅବକାଶ, ସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ରାଜଙ୍କୁ ନିମନ୍ତ୍ରଣ, ରଥ ଶୁଦ୍ଧିକରଣ, ମଙ୍ଗଳାର୍ପଣ, ଠାକୁରଙ୍କ ପହଣ୍ଡି ଆରମ୍ଭ,ଛେରା ପହଁରା ଓ ଆଳତୀ , ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟ ପରେ ଦିବା ଘ.୧.୩୦ମି. ସମୟରେ ବାହୁଡ଼ା ଯାତ୍ରା ପାଇଁ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ତା.୦୬.୦୭.୨୦୨୫ ରିଖ ରବିବାର ସନ୍ଧ୍ୟା ଘ.୫.୦୦ ମି.ଠାରୁ ସୁନାବେଶ, ତା.୦୭.୦୭.୨୦୨୫ ରିଖ ସୋମବାର ରାତ୍ରି ଘ.୭.୩୦ ମି. ଗତେ ଠାକୁରଙ୍କର ଅଧରପଣା ଭୋଗ, ତା.୦୮.୦୭.୨୦୨୫ ରିଖ ମଙ୍ଗଳବାର ସନ୍ଧ୍ୟା ଘ.୭.୩୦ ମି. ଗତେ ଶ୍ରୀ ଜୀଉଙ୍କର ନୀଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହେବ ।