ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଫୁଲବାଣୀ( TKNEWSMEDI ) ୦୬.୦୫.୨୦୨୬ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ବନ୍ଧୀୟ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହିତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ର ପ୍ରତିଶତ ମାତ୍ରା କୁ ବଢ଼ାଇବାକୁ ତଥା କର୍ମଚାରୀମାନଙ୍କ ଓଡ଼ିଆ ଭାଷାରେ କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଅଛି ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଏବଂ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ କହିଲେ ” ରାଜ୍ୟର ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗ ଦ୍ୱାରା ଲୋକମାନଙ୍କ ସହିତ ସରକାରୀ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଏହି ପ୍ରଶିକ୍ଷଣ ଶିବିର କର୍ମଚାରୀମାନଙ୍କୁ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ପ୍ରତି ସଚେତନ କରିବାରେ ସହାୟକ ହେବ ” । ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ସଠିକ୍ ଓ ସଂପୂର୍ଣ୍ଣ ବ୍ୟବହାରକୁ ଉତ୍ସାହିତ କରିବା । ଶିବିରରେ ଓଡିଆ ଭାଷା ବିଶେଷଜ୍ଞ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଡଃ ସଞ୍ଜୟ କୁମାର ପଣ୍ଡା ଯୋଗ ଦେଇ ପ୍ରଶାସନିକ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ପାଇଁ ପ୍ରୋତ୍ସାହନ ଏବଂ ଅନୁଷ୍ଠିତ ବୈଠକର ବିବରଣୀ, ଶବ୍ଦଭଣ୍ଡାର ବ୍ୟବହାରିକ ରୂପ, ଓଡିଆ ଲେଖନର ସାଧାରଣ ଭ୍ରାନ୍ତି ନିରାକରଣ, ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ସମସ୍ୟା ଓ ସମାଧାନ ଓଡିଆରେ କାର୍ଯ୍ୟାଳୟ ପତ୍ର ବିନିମୟ ଏବଂ ଯୋଗଯୋଗ କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି, ଇଂରାଜୀରୁ ଓଡିଆ ଟିପ୍ପଣୀ/ ଚିଠା ଓ ଆଦେଶନାମା, ଅନୁବାଦ ଇତ୍ୟାଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଓଡିଆ ଭାଷା ପ୍ରତିଷ୍ଠାନର ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଡ଼ ସିଦ୍ଧାର୍ଥ ଶଙ୍କର ପାଢୀ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ୧୭୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ପ୍ରଶାସନିକ ଶବ୍ଦକୋଷ, କାର୍ଯ୍ୟାଳୟ ନଥି ଓ ପ୍ରଶିକ୍ଷଣ ପୁସ୍ତିକା ଆଦି ସରଞ୍ଜାମ ପ୍ରଦାନ କରାଯାଇଥିଲା ।