କନ୍ଧମାଳରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ -2025 ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ


କନ୍ଧମାଳ (TKNEWSMEDIA) 05/08/2025 : କନ୍ଧମାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୫ ପାଳନ ପାଇଁ ଆଜି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ସମାରୋହରେ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆରେ ଆୟୋଜନ ହେବ । ଉକ୍ତ ବୈଠକରେ ସ୍ଵାଧୀନତା ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସ୍ୱାଧୀନତା ଦିବସର ୦୪.୩୦ am.ରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୂନ୍ ପରିବେଷଣ କରାଯିବା ସହିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ନ ଘ. ୦୭.୧୫ ମି. ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଘ. ୦୭.୩୦ ମି. ସମୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯିବାର ନିଷ୍ପତି ନିଆଯାଇଛି ଏବଂ ପୂର୍ବାହ୍ନ ଘ. ୦୯.୦୦ ମି ସମୟରେ ଦିବସର ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ । ଏହି ଦିବସ ଅବସରରେ ବନ୍ଧୁତ୍ବପୂର୍ଣ ମ୍ୟାଚ, ସ୍ଵଚ୍ଛତା ପ୍ରତିଯୋଗିତା, ରକ୍ତଦାନ ଶିବିର,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜିଲ୍ଲା ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବିତରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଯାନବାହାନ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ବିଭାଗକୁ ଅନୁରୋଧ କରାଯାଇଛି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶମ୍ଭୁନାଥ ନନ୍ଦୀ,ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଂଜନ ପାତ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସଂଗଠନର ସଭାପତି/ସମ୍ପାଦକ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ଶେଷରେ ଅଧ୍ୟକ୍ଷ ଓ ସଭ୍ୟସଭ୍ୟାମାନଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
