କନ୍ଧମାଳ ମହୋତ୍ସବ 2026 ଜାନୁଆରୀ 7 ରୁ 11


ଫୁଲବାଣୀ (TKNEWSMEDIA) 03/12/2025 : କନ୍ଧମାଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ମହୋତ୍ସବ, କୃଷି ମେଳା ଓ ପଲ୍ଲିଶ୍ରୀ ମେଳା ୨୦୨୬ର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଜିଲ୍ଲାପାଳ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଏବଂ ଅନ୍ୟ ରାଜ୍ୟ ଓ ଦେଶର ପରମ୍ପରା ସହ ଲୋକଙ୍କୁ ଯୋଡିବା ସହିତ କୃଷକ ଓ ଜନମାନସଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କନ୍ଧମାଳ ମହୋତ୍ସବ, କୃଷି ମେଳା ଓ ପଲ୍ଲିଶ୍ରୀ ମେଳା ଏକା ସାଙ୍ଗରେ କରାଯିବ । ଏଥିପାଇଁ କନ୍ଧମାଳକୁ ଅଗ୍ରାଧିକାର ଦେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପୂର୍ବ ବର୍ଷର ଆୟ ଓ ବ୍ୟୟ ତଥ୍ୟ ORMAS ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀ ପଠନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସମସ୍ତ କମିଟିର କର୍ମକର୍ତ୍ତା ନିର୍ଦ୍ଧାରଣ କରିଥିଲେ । ସଭାରେ ଉପସ୍ଥିତ ବିଜ୍ଞ ବ୍ୟକ୍ତିମାନେ ଏହି ମହୋତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଏହା ଉପରେ ଗୁରୁତ୍ଵ ଦେଇ ଏହାର କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ସର୍ବସମ୍ମତି କ୍ରମେ ୨୦୨୬ ଜାନୁଆରୀ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ନିଷ୍ପତି ନିଆଗଲା । ଏହି ବୈଠକକୁ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ ବାଣୁଆ, ସାଂସଦ ପ୍ରତିନିଧି ଅଜିତ ପଟ୍ଟନାୟକ, ବିଧାୟକ ପ୍ରତିନିଧି ଭଗବାନ ମହାନ୍ତି, ବାଲିଗୁଡା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ଆଇନଜୀବୀ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, କଳାକାର, ବିଭିନ୍ନ ଏନଜିଓ କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
