କନ୍ଧମାଳରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟିର ପ୍ରସ୍ତୁତି ବୈଠକ

କନ୍ଧମାଳ (TKNEWSMEDIA) ୨୨/ ୦୫/ ୨୦୨୬ : ଆସନ୍ତା ୨୦୨୬ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଆସନ୍ତା ମୌସୁମୀ ଋତୁରେ ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ ସକ୍ରିୟ କରାଯିବା ସହିତ ଦୁର୍ଗମ ଅଞ୍ଚଳରେ ଆଗୁଆ ଖାଦ୍ୟ ଓ ସୁରକ୍ଷିତ ପାନୀୟ ଜଳ ମହଜୁଦ ରଖାଯିବ। ଏହା ସହିତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଡଙ୍ଗା ଓ ପାୱାର ବୋଟ୍ ମୁତୟନ, ଆଶ୍ରୟସ୍ଥଳୀଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପରିମଳ ସେବା ଏବଂ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯିବ। ବିଶେଷ କରି ODRAF, NDRF, ସ୍ବେଚ୍ଛାସେବୀ ସଂଗଠନ (NGO) ଏବଂ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ପ୍ରଶାସନିକ ସମନ୍ୱୟ ରକ୍ଷା କରି ସମସ୍ତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୂ ଜିଲ୍ଲା ଆପାତକାଲୀନ ଅଧିକାରୀ ଶ୍ରୀ ବିରଞ୍ଚି ଧାରୁଆ ପରିଚାଳନା କରିଥିଲେ।


ଏହି ଅବସରରେ ଫୁଲବାଣୀ ଉପ-ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୁଧିଷ୍ଟିର ମେହେର, ବାଲିଗୁଡ଼ା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ କୃପାସିନ୍ଧୁ ବେହେରା ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।