କଟକ ( TKNEWS ) : 08/07/22 ସଂପ୍ରତି ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା “ବଡ ଖବର” ନ୍ଯୂଜ୍ ଚ୍ଯାନେଲର ସମ୍ପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଶେଖର ଦାସଙ୍କ ଅନ୍ଯାୟୋଚିତ ଗିରଫଦାରୀର ପ୍ରତିବାଦରେ ସଚେତନ ନାଗରିକ ମହାସଭା, ଓଡିଶା ପକ୍ଷରୁ ଆବାହକ ବ୍ରୂନ୍ଦାବନ ଦାସ ଆଜାଦଙ୍କ ନେତୃତ୍ବରେ ମହାସଭାର ଶତାଧିକ ସଦସ୍ଯ କଟକସ୍ଥିତ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କ ବକ୍ସିବଜାରସ୍ଥିତ କାର୍ଯ୍ଯାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଶେଖର ଦାସଙ୍କୁ ନିଃସର୍ତ୍ତ ମୁକ୍ତ କରିବାକୁ ମାନନୀୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ମାନ୍ଯବର ରାଜ୍ଯପାଳ, ଓଡିଶା, ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଲୀ, ରାଜ୍ୟ ମାନବାଧିକାର କମିଶନ, ଭୁବନେଶ୍ୱରଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏହି ଗଣଧାରଣା ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଚେତନ ନାଗରିକ ମହାସଭାର ବରିଷ୍ଠ ସଦସ୍ଯ ତଥା ସଭାପତି, ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ,କଟକ ଜିଲ୍ଲା ଶ୍ରୀ ଅମରେନ୍ଦୁ ମହାନ୍ତି, ସୂଚନା ଅଧିକାର କର୍ମୀ ତଥା ସମାଜସେବୀ ଶ୍ରୀ ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାର ପ୍ରୟାସକୁ ଘୋର ନିନ୍ଦା କରିବା ସହ ଅର୍ଦ୍ଧେନ୍ଦୁ ଶେଖର ଦାସଙ୍କୁ ନିଃସର୍ତ୍ତ ଖଲାସ କରିବାକୁ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଥିଲେ।