ଫୁଲବାଣୀ (TKNEWSMEDIA ) 19/07/22 : ଆଣ୍ଟି ଡେଙ୍ଗୁ ମାସ – 2022 ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି l କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଈଶ୍ୱରଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଡେଙ୍ଗୁ ରୋଗର ପ୍ରତିରୋଧ ଓ ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ l ଏସିଡ ମଶା ଡିମ୍ବ ଦେବା ସ୍ଥାନଗୁଡ଼ିକୁ ସଫା କରିବା ସହିତ ସହରର ଡ୍ରେନେଜ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ l
ଡ୍ରେନ ଗୁଡିକରୁ ଅଳିଆ ଆବର୍ଜନା ପ୍ରତିଦିନ ସଫା କରିବା ସହିତ ବର୍ଷା ଜଳ ଜମି ରହୁଥିବା ସ୍ଥାନଗୁଡିକରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ l ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିଜ ନିଜ ବିଭାଗରେ ଥିବା ଘୋଡଣି ନଥିବା ପାଣି ଟାଙ୍କି ଗୁଡ଼ିକୁ ଏକ ସପ୍ତାହ ମଧ୍ୟରେ ସଫା କରାଇ ଘୋଡଣି ଲଗାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳ ପରିବେଶକୁ ଗାଁ କଲ୍ୟାଣ ସମିତି ଫଣ୍ଡ ସାହାଯ୍ୟରେ ସଫାରଖିବା, ଅବ୍ୟବହୃତ କୂଅ ଓ ଜଳ ସଂରକ୍ଷଣ ସ୍ଥାନଗୁଡ଼ିକୁ ଶୁଖାଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଗର୍ଭବତୀ ମା’ ମାନଙ୍କୁ ମଶାରୀ ବ୍ୟବହାର କରିବା ସହିତ ଘରର ଚାରି ପାର୍ଶ୍ଵକୁ ପରିଷ୍କାର ରଖିବା ଓ ପାଣି ଜମିବାକୁ ନଦେବା ଯେପରିକି ଏସିଡ ମଶା ଡିମ୍ବ ଦେଇ ନ ପାରିବା ଭଳି ବ୍ୟବସ୍ଥା କରିବାକୁ ସଚେତନ କରିବା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ l
ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାକର ସାହୁ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତେଗୁଡିଏ ତଥ୍ୟ ପ୍ରଦାନ କରିଥିଲେ l ସେ କହିଲେ, ଅଧିକାଂଶ କ୍ଷେତ୍ରରେ ଡେଙ୍ଗୁ ଜ୍ୱର ସାଧାରଣ ଜ୍ୱର ପରି ହୋଇଥିଲେହେଁ ବେଳେ ବେଳେ ଏହା ମାରାତ୍ମକ ହୋଇପାରେ l ସାନ ପିଲା ଓ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତସ୍ରାବୀ ଡେଙ୍ଗୁ ଜ୍ୱର ଓ ଡେଙ୍ଗୁ ‘ ସକ ‘ ଲକ୍ଷଣାବଳୀ ଅଧିକ ବିପଦପୂର୍ଣ୍ଣ ହୋଇଥାଏ l ଏସିଡ ମଶା ଦିନବେଳା କାମୁଡିଥାଏ l ଏହି ମଶା ଡେଙ୍ଗୁ ରୋଗୀଙ୍କୁ କାମୁଡିବାର ଅଳ୍ପ ସମୟ ମଧ୍ୟରେ ସୁସ୍ଥ ଲୋକଙ୍କୁ କାମୁଡିଲେ ଡେଙ୍ଗୁ ସଂକ୍ରମିତ ହୋଇପାରେ l
ସେହିପରି ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଡେଙ୍ଗୁ କଣ ? ତା’ର ସାଧାରଣ ଲକ୍ଷଣ ତଥା ବିପଦଜନକ ଲକ୍ଷଣ, ବଂଶ ବିସ୍ତାରର ମାଧ୍ୟମ, ରହିବା ସ୍ଥାନ, ରୋଗୀକୁ ଚିହ୍ନଟ କରିବା ପଦ୍ଧତି ଓ ଚିକିତ୍ସା, ରୋଗ ନ ହେବା ପାଇଁ ପଦକ୍ଷେପ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଲେ, ଡେଙ୍ଗୁ ପ୍ରତିରୋଧ ପାଇଁ ଆମ ସମସ୍ତଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ l ଆମ ସମସ୍ତଙ୍କର ସାଧୁ ଉଦ୍ୟମରେ ଏହି ମଶା ବଂଶ ବିସ୍ତାର କରିପାରିବ ନାହିଁ l ଫଳରେ ଡେଙ୍ଗୁ ଭୁତାଣୁ ସଂକ୍ରମିତ ହୋଇପାରିବ ନାହିଁ ଓ ଡେଙ୍ଗୁ ଜ୍ୱର ହେବ ନାହିଁ ଏବଂ ଆମ ପରିବେଶ ପରିଷ୍କାର ଓ ସୁନ୍ଦର ହୋଇଉଠିବ ବୋଲି ଡା. ଉପାଧ୍ୟାୟ କହିଥିଲେ l
ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ତଥା ସମ୍ପୃକ୍ତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l