ଖରିଫ କ୍ରୟ ବିକ୍ରୟ ଋତୁ 2020-21ବର୍ଷର ଧାନ ସଂଗ୍ରହଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଶସ୍ୟ ସଂଗ୍ରହଣ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁଗୁଲ ମିଟ ଜରିଆରେ ଅନୁଷ୍ଠିତ ହୋଇଯାଇଛି l ଚାଷୀଙ୍କ ଠାରୁ ଧାନ କିଣିବା ଓ ସଠିକ ସମୟରେ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ସହିତ ଧାନ କିଣା ଓ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ କୋଭିଡ -19 ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ କହିଲେ ଯେ, ଜିଲ୍ଲା ରେ ଥିବା ଏକମାତ୍ର ମିଲରଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ବିନିଯୋଗ କରାଯିବା ସହିତ ସ୍ଥାନୀୟ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା କରାଯାଉ l ଶୃଙ୍ଖଳାର ସହିତ ଧାନ କ୍ରୟ ବିକ୍ରୟ ପାଇଁ ସମସ୍ତଙ୍କର କାମନା ମଧ୍ୟ କରିଥିଲେ l ମାନ୍ୟବର ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର, ଚାଷୀ ପ୍ରତିନିଧି ଶ୍ରୀ ଅଭିରାମ ରଣା ଓ ଜନକ ବେହେରା ଜିଲ୍ଲାରେ ରବି ଋତୁରେ ଉତ୍ପାଦିତ ଧାନ ଫସଲର ସରକାରୀ କ୍ରୟ ନିମନ୍ତେ ସରକାରଙ୍କ ସହ ଯୋଗାଯୋଗ କରିବା ପାଇଁ ମତ ବ୍ୟକ୍ତ କରିଥିଲେ l
ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ଦାଶଙ୍କ ଠାରୁ ପ୍ରାପ୍ତ ସୂଚନା ପ୍ରକାରେ 2020-21 ବର୍ଷରେ ସମୁଦାୟ 22ଗୋଟି ମଣ୍ଡି ଓ 22ଗୋଟି ଲ୍ୟାମ୍ପସ ଅଂଶ ଗ୍ରହଣ କରିଥିବାବେଳେ 6 ହଜାର 110 ଜଣ ଚାଷୀ ନାମ ରେଜିଷ୍ଟ୍ରି କରିଛନ୍ତି lଚଳିତ ବର୍ଷ କୁଇଣ୍ଟାଲ ପିଛା ସାଧାରଣ ଧାନର ସହାୟକ ମୂଲ୍ୟ 1868 ଟଙ୍କା ଏବଂ ‘ ଏ ‘ ଗ୍ରେଡ଼ ଧାନର ମୂଲ୍ୟ 1888 ଟଙ୍କା ଧାର୍ଯ୍ୟ ହୋଇଛି l ଓଡିଶା ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଚଳିତ ଖରିଫ ଋତୁରେ କନ୍ଧମାଳ ଜିଲ୍ଲା ପାଇଁ ପ୍ରଥମ ଦଫାରେ 69 ହଜାର 117 କୁଇଣ୍ଟାଲ 65 କି. ଗ୍ରା. ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l
ଚଳିତ 2020-21ଖରିଫ ଧାନ କିଣା ଋତୁରେ ସରକାରଙ୍କ ଦ୍ୱାରା କମ୍ପୁଟର ମାଧ୍ୟମରେ ଟୋକନ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ଚାଷୀଙ୍କ ପାଖକୁ ପଠାଇ ଦିଆଯିବ l ଏ ସମ୍ପର୍କରେ ଚାଷୀଙ୍କୁ ମୋବାଇଲ ମାଧ୍ୟମରେ ଜଣାଇଦିଆଯିବ ଏବଂ ଧାନ କ୍ରୟ କେନ୍ଦ୍ରର ନୋଟିସ ବୋର୍ଡରେ ଏହି ତଥ୍ୟ ମଧ୍ୟ ପ୍ରଦର୍ଶିତ କରାଯିବ l ବିଶେଷ କଥା ଚଳିତ ବର୍ଷ ଉକ୍ତ ଟୋକେନରେ ଚାଷୀମାନଙ୍କ ପାଇଁ ଧାନ ବିକ୍ରୟ ପାଇଁ ଟୋକେନ ପ୍ରାପ୍ତି ଠାରୁ 30 ଦିନ ରଖାଯାଇଛି ଏବଂ ଧାନ ବିକ୍ରିର ସରକାରୀ ଧାର୍ଯ୍ୟ ମୂଲ୍ୟ ବ୍ୟାଙ୍କ ହିସାବ ଖାତାକୁ 48 ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ l ଉକ୍ତ ଗୁଗୁଲ ମିଟ ରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର, ମାନ୍ୟବର ଘୁ. ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦେବେନ୍ଦ୍ର କୁମାର ସାମଲ, ବାଲିଗୁଡା ଉପ-ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ସୁରେଶ କୁମାର ନନ୍ଦଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, କମିଟିର ସଦସ୍ୟ ସଦସ୍ୟା, ମିଲର ପ୍ରତିନିଧି ଏବଂ ଚାଷୀ ପ୍ରତିନିଧିମାନେ ଯୋଗଦେଇଥିଲେ l