ଫୁଲବାଣୀ (TKNEWSMEDIA) 11/07/2024 : କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ଡେଙ୍ଗୁ ନିରୋଧ ମାସ ପାଳିତ ହେବା ସହ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ନିମିତ୍ତ ମିଳିତ କାର୍ଯ୍ୟାନୁଷ୍ଠାନ ପାଈଁ ଯୋଜନା ପ୍ରସ୍ତୁତ ହୋଇଅଛି।
ଏହି ଅବସରରେ ଜିଲ୍ଲାପାଳ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ପରି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମକୁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆଶାକର୍ମୀ, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ଆବଶ୍ୟକୀୟ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରହିବା ଆବଶ୍ୟକ ଥିବା କହିଛନ୍ତି। ଏଥିରୁ ରକ୍ଷାପାଇବା ପାଇଁ ଟୀକାକରଣ ଓ ଟୀକାକରଣ ପରେ କ’ଣ କ’ଣ କରାଯିବା ଉଚିତ ଘରକୁ ଘର ବୁଲି ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ରହୁଥିବା ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀମାନଙ୍କ ସହିତ ପ୍ରୋଜେକ୍ଟର ମାଧ୍ୟମରେ ଭେକ୍ଟର ବାହିତ ରୋଗର ନିବାରଣ ପାଇଁ ଆଲୋଚନା ହୋଇଅଛି।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।