କନ୍ଧମାଳ (TKNEWSMEDIA) 22/09/2024 : ଫୁଲବାଣୀ କରୋନେସନ ପଡ଼ିଆରେ ଅନୁଷ୍ଠିତ ଓଡ଼ିଶା ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ, ବିକାଶ ମେଳା ପ୍ରଦର୍ଶନୀକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି ।
ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ତାଙ୍କ ସରକାର ମାତ୍ର ୧୦୦ ଦିନରେ ଓଡ଼ିଆ ଭାଷା ସଂସ୍କୃତି, ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨ଶହ କୋଟିର ପାଣ୍ଠି ବ୍ୟବସ୍ଥା କରିଛନ୍ତି କାରଣ ଓଡ଼ିଆ ଅସ୍ମିତା ତାଙ୍କ ସରକାରର ପରିଚୟ। କୃଷିର ବିକାଶରେ ରାଜ୍ୟ ତଥା ଦେଶର ବିକାଶ। ସେଥିପାଇଁ ପ୍ରତି ଉପଖଣ୍ଡରେ ନିର୍ମାଣ ହେବ ଶୀତଳ ଭଣ୍ଡାର ଏବଂ ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କୃଷି ସମୃଦ୍ଧି କେନ୍ଦ୍ର । ପ୍ରାଥମିକ ଶିକ୍ଷାର ଗୁଣାତ୍ମକତା ବୃଦ୍ଧିକରିବା ଉଦ୍ଦେଶ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯେ ଯୋଜନା କରିଛନ୍ତି ଫଳରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉପକୃତ ହେବେ। ସୁଭଦ୍ରା ଯୋଜନାରେ ବିକଶିତ ଓଡ଼ିଶାର ସାରଥୀ ହେବେ ମହିଳାମାନେ । ଶିକ୍ଷାର ମାନ ବୃଦ୍ଧି କରିବ ପିଏମ୍-ଶ୍ରୀ ଯୋଜନା ଏବଂ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସୂଚନା- ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମର ପ୍ରଚଳନ ହେବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଗାଇବ ନଗଦବିହୀନ ସ୍ବାସ୍ଥ୍ୟ ସେବା । ଶିଶୁ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ। ଡ୍ରପ୍ ଆଉଟ୍ ହାର ରୋକିବା ଲକ୍ଷ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ଡବଲ୍ ଇଞ୍ଜିନ ସରକାର ଦଳଗତ ନିର୍ବିଶେଷରେ ଲୋକମାନଙ୍କ ପାଇଁ କାମକରିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ କନ୍ଧମାଳବାସୀଙ୍କ ଆର୍ଶିବାଦରୁ ବିଧାୟକ ହୋଇଥିବାରୁ ସେ ଜିଲ୍ଲାର ଉନ୍ନତି ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ମଧ୍ୟ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ ବୋଲି କହିଥିଲେ । ଫୁଲବାଣୀ ଦେଇ ରେଳ ଲାଇନ ସଂଯୋଗ, ୮୦୦ ଗୋଟି ବି.ଏସ୍.ଏନ୍.ଏଲ୍.ଟାୱାର ନିର୍ମାଣ, ପୂର୍ବ ସରକାରରେ ବିଭିନ୍ନ ଯୋଜନାରେ ଯେଉଁ ପ୍ରକୃତ ହିତାଧିକାରୀମାନେ ସାମିଲ ହୋଇପାରି ନାହାନ୍ତି ସେମାନଙ୍କୁ ତାଙ୍କ ସରକାର ନିଶ୍ଚିଭାବେ ସାମିଲ କରିବ । ପୁର୍ବ ସରକାରରେ ଚାର୍ଜ ନ ହୋଇଥିବା ୨୮୫ଟି ଟାୱାର ୧୫ ଦିନ ଭିତରେ ଚାର୍ଜ କରାଯିବ । ଜିଲ୍ଲାରେ ପାନୀୟ ଜଳର ସମସ୍ୟା ରହିଛି । ପ୍ରତି ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର କହିଲେ ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୁପାୟନ ପାଇଁ ଜିଲ୍ଲା ପ୍ରଶାସନକୁ ପୋଲିସ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବ । ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ ଜିଲ୍ଲାରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଧାର ଆସିଛି। ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ସମକକ୍ଷ ହୋଇପାରିବେ । ଘଞ୍ଚ ଜଙ୍ଗଲ ହେଉଛି କନ୍ଧମାଳ ଜିଲ୍ଲାର ପରିଚୟ। ଏଇ ନିକଟରେ ମିଶନଶକ୍ତିର ମା’ମାନେ ବହୁ ସଂଖ୍ୟାରେ ଗଛ ଲଗାଇଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ l ଏହି ଉତ୍ସବରେ CDO ଶ୍ରୀ ରତ୍ନାକର ସାହୁ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l