ଭୀମ ଭୋଇ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଲେଖାଳୀମାନଙ୍କର ଆଲୋଚନା ଚକ୍ର

ଭୁବନେଶ୍ୱର (TKNEWSMEDIA ) 19/01/2026 : ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱର ପରିସରରେ ଆଗାମୀ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷାରେ ଦୃଷ୍ଟିବାଧିତ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତ ସହାୟକ ଲେଖାଳିମାନଙ୍କର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନ୍ ଏସ୍ ଏସ୍ ବ୍ୟୁରୋଦ୍ବାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦେଶ ସେବାରେ ଆଗଭର ହେବାକୁ ପ୍ରେରଣା ଦେଇଥିଲେ । ବିଶ୍ଵକୁ ଏକ ପରିବାର ଭଳି ବିବେଚନା କରି ଅନ୍ୟକୁ ସହାୟତା କରିବାକୁ ଆଗଭର ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଏନ୍.ଏସ୍.ଏସ.ର ରାଜ୍ୟ ସଂଯୋଜକ ଡ଼ଃ ବିଶ୍ବରଂଜନ ଜେନା ଏନ୍.ଏସ୍. ଏସ୍. ସ୍ୱେଚ୍ଚାସେବୀମାନଙ୍କୁ ଆଗାମୀ ବାର୍ଷିକ ପରୀକ୍ଷାରେ ଦୃଷ୍ଟିବାଧିତ ପରୀକ୍ଷାର୍ଥୀଙ୍କ ପାଇଁ କିଭଳି ନିଜର ଦାୟିତ୍ଵ ତୁଲାଇବେ ତାହା ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଏନ୍.ଏସ୍. ଏସ୍. ନୋଡାଲ ଅଫିସର୍ ଡ. ରଘୁନାଥ ମଣ୍ଡଳ ଛାତ୍ରଛାତ୍ରୀମାନଙ୍କୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିବାରୁ ସାଧୁବାଦ୍ ଜଣେଇ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କଳାଶ୍ରୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।