ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା 5 ‘ ଟି ‘ ର ସଫଳ କାର୍ଯ୍ୟାନ୍ଵୟନ କରି ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଶତ ପ୍ରତିଶତ ଆଶା ପ୍ରକଟ କରିପାରିଥିବା ସରକାରୀ କର୍ମଚାରୀମାନଙ୍କୁ ସାଧାରଣ ନିୟମ ବହିର୍ଭୁତ ପୁରସ୍କାର ପଦୋନ୍ନତି, ପ୍ରୋତ୍ସାହନ ପୁରସ୍କାର ଆଦି ପ୍ରଦାନ ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି l
ସେହିପରି ସଫଳତାର ସହିତ ନିରନ୍ତର ଭାବେ 30 ବର୍ଷ ସେବା ସମାପ୍ତ କରିଥିବା କିମ୍ବା 50 ବର୍ଷ ବୟସ୍କ ହୋଇଥିବା ଏବଂ 55 ବର୍ଷ ବୟସ ହାସଲ କରିବା ପରେ ସଚ୍ଚଟତାର ଅଭାବ,ମାନସିକ ବା ଶାରୀରିକ ଅକ୍ଷମତା, ନିମ୍ନ ପଦବୀରେ ସନ୍ତୋଷ ଭାବେ କାର୍ଯ୍ୟ କରିଥିଲେହେଁ ପଦୋନ୍ନତି ପ୍ରାପ୍ତ ପଦବୀରେ ଆବଶ୍ୟକୀୟ ଦକ୍ଷତାର ଅଭାବ, ଜନସେବା ପ୍ରତି ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସଂପୃକ୍ତକର୍ମଚାରୀଙ୍କ ଆଚାର ବ୍ୟବହାର କ୍ଷତିକାରକ କିମ୍ବା ବିପଦ ସୃଷ୍ଟିକାରୀ ଉପଲବ୍ଧ ହେଉଥିଲେ କିମ୍ବା ବିଗତ 5 ବର୍ଷର ଚରିତ୍ର ପଞ୍ଜିକାରେ ପ୍ରତିକୂଳ ମନ୍ତବ୍ୟ ଆଦି ମୁଖ୍ୟ କାରଣ ପାଇଁ ଜଣେ କର୍ମଚାରୀଙ୍କୁ ସାଧାରଣ ଅବସର ପୂର୍ଵରୁ ଅବସର ପ୍ରଦାନ କରିବାକୁ ସ୍ଥିର କରିଛନ୍ତି lଏହି ପରିପ୍ରେକ୍ଷୀରେ, ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଆକଳନ କରି, ଯୋଗ୍ୟ ବା ଅଯୋଗ୍ୟ କର୍ମଚାରୀଙ୍କ ନାମ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମୁଖ୍ୟମାନଙ୍କୁ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି l
ଜିଲ୍ଲାପାଳ ଡ଼ା. ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଉଲ୍ଲେଖନୀୟ ସରକାରୀ ସେବା ପାଇଁ ପୂର୍ବରୁ ପୁରସ୍କୃତ / ସମ୍ମାନୀତ /ପ୍ରଶଂସିତ କର୍ମଚାରୀଙ୍କ ନାମ ଉପଯୁକ୍ତ ପ୍ରମାଣପତ୍ର ସହିତ ଚଳିତ ନଭେମ୍ବର 30 ତାରିଖ ସୁଦ୍ଧା ସୁପାରିଶ କରିବାକୁ ଉପସ୍ଥିତ କାର୍ଯ୍ୟାଳୟ / ପ୍ରତିଷ୍ଠାନ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ ତାଙ୍କ ପ୍ରାରମ୍ଭିକ ଭାଷଣରେ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଆଲୋଚନା ସମୟରେ କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ସୁରେଶ କୁମାର ନନ୍ଦ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସଙ୍କ ସମେତ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ମାନେ ଉପସ୍ଥିତ ଥିଲେ l