କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ-୨୦୨୦ ପର୍ବକୁ ଶାନ୍ତି ଓ ସଦଭାବନା ସହ ପାଳନ କରିବା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ,ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମହୋଦୟା ଏଥିରେ ଅଧ୍ୟକ୍ଷତା କରି ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ପ୍ରଶାସନର ଏ ଦିଗରେ ସହଯୋଗ ମଧ୍ୟ ରହିବ। କୋଭିଡ଼-୧୯ ସଙ୍କଟ ଏବେବି ରହିଛି ଏବଂ ଜାନୁୟାରୀ ମାସ ସୁଦ୍ଧା ପୁନର୍ବାର ସଂକ୍ରମଣର ଆଶଙ୍କା ମଧ୍ୟ ରହିଥିବାରୁ, କୋଭିଡ଼-୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଉତ୍ସବ ପାଳନ ଉଦ୍ଦେଶ୍ୟରେ ଚର୍ଚ ମାନଙ୍କରେ ବହୁ ସଂଖ୍ୟାରେ ଏକତ୍ରିତ ନ ହୋଇ ୧୦ଜଣରୁ ୧୫ଜଣ ମଧ୍ୟରେ ବଡଦିନ ପାଳନକରିବାକୁ ସେ ପରାମର୍ଶ ଦେଇଥିଲେ । କୌଣସି ଧାର୍ମିକ କାର୍ଯ୍ୟ ଜିଲ୍ଲା ପ୍ରଶାସନ ବାଧା ସୃଷ୍ଟି କରିବାକୁ ଚାହୁଁନି କେବଳ ସମ୍ଭାବ୍ୟ ସଂକ୍ରମଣକୁ ରୋକି ଧନ ଜୀବନ ନଷ୍ଟ ନ ହେଉ ବୋଲି ଜିଲ୍ଲା ପ୍ରଶାସନ ଚାହୁଁଛି । ଆଗତ ପ୍ରସ୍ତାବ ଓ ମତାମତକୁ ଅନୁଧ୍ୟାନ କରି ଯେଉଁ ଦାବି ଗୁଡିକୁ ପୂରଣ କରାଯାଇ ପାରିବ ତାହା ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ ।
ସେହିପରି, କନ୍ଧମାଳ ଅରକ୍ଷୀ ଅଧୀକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ଖ୍ରୀଷ୍ଟିୟାନ ସଂପ୍ରଦାୟର ଭାଇମାନେ ଚଳିତ ବର୍ଷ ନିଜ ନିଜ ଘରେ ପର୍ବ ପାଳନ କରିବାକୁ ଅନୁରୋଧ କରିଥିଲେ । ଜାନୁୟାରୀ ମାସ ପର୍ଯ୍ୟନ୍ତ ଶୀତ ରହିବ ଏବଂ ସେ ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡିବ । କୋଭିଡ଼-୧୯ ଠାରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ଏ ଦିଗରେ ସହଯୋଗ କରିବେ ବୋଲି ଶ୍ରୀ ଅଗ୍ରୱାଲ ଆଶାବ୍ୟକ୍ତ କରିଥିଲେ ।
ବୈଠକରେ ଉପସ୍ଥିତ ଖ୍ରୀଷ୍ଟିୟାନ ସଂପ୍ରଦାୟର କିଛି ବନ୍ଧୁ ସେମାନଙ୍କର ମତାମତ ଦେଇଥିଲେ । ସେମାନେ କହିଥିଲେ ଯେ, ସେମାନଙ୍କର ଏହା ମୁଖ୍ୟ ପର୍ବ । କାରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନେ ଚଳିତ ବର୍ଷ ବହୁସଂଖ୍ୟାରେ ଏକତ୍ରିତ ନହୋଇ କିଛି ମନୋନୀତ ଭକ୍ତଙ୍କୁ ଚର୍ଚ୍ଚକୁ ପ୍ରାର୍ଥନା ନିମନ୍ତେ ପଠାଇବେ । ଦିନରେ ଏବଂ ରାତିରେ ଦୁଇ ଘଣ୍ଟା ଲେଖାଏଁ ପର୍ବ ପାଳନ କରିବକୁ ଅନୁମତି ପ୍ରଦାନ କଲେ ୨/୩ ଯଜ୍ଞରେ ଅତି ବେଶୀରେ ପଚାଶଜଣ ଲେଖାଏଁ ପରମ ପ୍ରସାଦ ସେବନ କରିପାରିଲେ ଏବଂ ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ମଧ୍ୟ ଅନୁମତି ପ୍ରଦାନ କଲେ ଆମ ସମ୍ପ୍ରଦାୟର ଭାଇ ମାନେ ଖୁସିହେବେ I ଏମାନଙ୍କର ମତାମତକୁ ଗୁରୁତ୍ୱ ଦେବାକୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୂପ କୁମାର ଜେନା ଅନୁରୋଧ କରିଥିଲେ କୋଭିଡ଼ ସଂକ୍ରମଣ କୁ ପ୍ରତିହତ କରିବା ଦିଗରେ ଜିଲ୍ଲା ପ୍ରଶାସନ ଗ୍ରହଣ କରୁଥିବା ପଦକ୍ଷେପ କୁ କୁଇ ସମାଜର ସଭାପତି ଶ୍ରୀ ଲମ୍ବୋଦର କହଁର ପ୍ରଶଂସା କରିବା ସହିତ କୋଭିଡ଼ ସଂକ୍ରମଣ ସତର୍କତା ଅବଲମ୍ବନ ପୂର୍ବକ ଉତ୍ସବ ପାଳନ କରିବକୁ ସେ ଅନୁରୋଧ କରିଥିଲେ l
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିପିନି ବିହାରୀ ବେହେରା, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, ଭାରତୀୟ ପୋଲିସ ସେବା ଶିକ୍ଷାନବୀଶ ଶ୍ରୀ ଅଭିନବ ଶଙ୍କରଙ୍କ ସମେତ ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ବିଭିନ୍ନ ସମ୍ପ୍ରଦାୟର କାର୍ଯ୍ୟକର୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଫୁଲବାଣୀ ସମନ୍ଵତ ଜନଜାତି ଉନ୍ନୟନ ସଂସ୍ଥାରା ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l