ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଫୁଲବାଣୀ (TKNEWSMEDIA) ୦୭.୦୫.୨୦୨୬ : କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଏବଂ ସମ୍ମାନିତ ଅତିଥି ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ଯୋଗଦେଇଥିଲେ । ସରକାରୀ ସ୍ତରରେ ଚିଠିପତ୍ର ଆଦାନପ୍ରଦାନ, ନଥିପତ୍ର ପରିଚାଳନା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ଓ ଶୁଦ୍ଧ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ପ୍ରଥମେ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ରୀତାଶ୍ରୀ ବାରିକ ଏବଂ ତାଙ୍କ ଟିମ୍ କମ୍ପ୍ୟୁଟରରେ ଓଡିଆ ଟାଇପିଙ୍ଗ ପ୍ରସ୍ତୁତି/ଓସ୍ଵାସରେ ସରକାରୀ କାର୍ଯ୍ୟ ସମ୍ପାଦନ ପାୱାର ପଏଣ୍ଟ ମାଧ୍ଯମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କିପରି ସହଜରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯାଇପାରିବ, ସେ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଭାଷା ବିଶେଷଜ୍ଞ ଡଃ ସଞ୍ଜୟ କୁମାର ପଣ୍ଡା, ଶ୍ରୀ ମନୋରଂଜନ ପାଣିଗ୍ରାହୀ ଓ ଡଃ ବିପ୍ଲବ ରଞ୍ଜନ ପ୍ରଧାନ ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ, ଓଡିଆରେ ନଥି ପ୍ରସ୍ତୁତି, ଓଡିଆ ଭାଷାରେ ସରକାରୀ କାଗଜପତ୍ର / ଦସ୍ତାବିଜ୍ ଇତ୍ୟାଦି ପ୍ରସ୍ତୁତି ନିମନ୍ତେ ଦୃଢ ଆତ୍ମବିଶ୍ବାସର ଆବଶ୍ୟକତା ଏବଂ ଓଡିଆ ଭାଷାରେ କାର୍ଯ୍ୟାଳୟ ଚିଠା ଓ ଟିପ୍ପଣୀ ପ୍ରସ୍ତୁତି ଆଦିର ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଡଃ ସିଦ୍ଧାର୍ଥ ଶଙ୍କର ପାଢି ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନଳିନୀ କାନ୍ତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ଏବଂ ସମସ୍ତଙ୍କୁ ଅତିଥିମାନଙ୍କ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ, ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାକୁ ପ୍ରାଥମିକତା ଦେବାକୁ ସଂକଳ୍ପ ନିଆଯାଇଥିଲା।