ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ରିସର୍ଚ ଓ ତାଲିମ ସଂସ୍ଥାଙ୍କ ସହଯୋଗରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ଵାରା ଏକ ତିନି ଦିନିଆ ଆଇନ ସଚେତନତା କାର୍ମଶାଳାକୁ ଆଜି ପ୍ରକଳ୍ପ ପ୍ରଶାସକ ଶ୍ରୀ ବିରେନ୍ଦ୍ର କୁମାର ଦାସ ଉଦ୍ଘାଟନ କରିଛନ୍ତି । ପ୍ରଥମ ଦିନ ନାଗରିକ ଅଧିକାର ସୁରକ୍ଷା ଆଇନ, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ, ଓଡିଶା ଡାହାଣୀ ହତ୍ୟା ନିବାରଣ ଆଇନ, ୨୦୧୪ ଏବଂ ଏହି ଆଇନ ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ପଞ୍ଚାୟତରାଜ ସଦସ୍ୟ ସଦସ୍ୟା, ସ୍ଵେଚ୍ଛାସେବୀ ସଂଗଠନର ଭୂମିକା ଉପରେ ଆଲୋଚନା କରଯାଇଥିଲା । ଆଲୋଚନାରେ ଭାଗନେଇ ସ୍ଵତନ୍ତ୍ର ସରକାରୀ ଅଭିଯୋଜକ ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ କହିଲେ ଯେ, ଆଜିର ଆଲୋଚନାର ବିଷୟବସ୍ତୁ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ସେଥିପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସ୍ଵତନ୍ତ୍ର ଯୋଜନା ମାନ ମଧ୍ୟ କରିଛନ୍ତି । ନାଗରିକ ଅଧିକାର ସୁରକ୍ଷା ଆଇନ, ୧୯୫୫ ବଳରେ ଜାତିଆଣ ଉଚ୍ଛେଦ କରାଗଲା । ତଥାପି ଆଇନର ମୂଳ ଲକ୍ଷ୍ୟ ପୂରଣ ହେଇପାରିଲା ନାହିଁ । ଫଳରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଲାଗୁ କରାଗଲା । ଏହି ଆଇନ ଅନୁସାରେ ସେମାନଙ୍କୁ ଶାରୀରିକ, ମାନସିକ ତଥା ସାମାଜିକ ସ୍ତରରେ ନିର୍ଯ୍ୟାତନା ଦିଆଯାଇପରିବା ନାହିଁ ।
ନିର୍ଯ୍ୟାତନା ଦେଉଥିବା ଲୋକ ପାଇଁ ପୂର୍ବାପେକ୍ଷା କଠୋର ଦଣ୍ଡ ବ୍ୟବସ୍ଥା ରଖାଗଲା । ସେହିପରି ଡାହାଣୀ ହତ୍ୟା ବିପଦକୁ ନିୟନ୍ତ୍ରଣ କରିବାପାଇଁ ଫଳପ୍ରଦ ବ୍ୟବସ୍ଥିତ ଏକ ଆଇନ ଓ ରାଜ୍ୟରେ ଗୁଣୀଗାରେଡି/ଡାହାଣୀ ବିଦ୍ୟା ନିବାରଣ ଏବଂ ତା ସହିତ ସମ୍ପୃକ୍ତ ବା ତାହାର ଆନୁସଙ୍ଗୀକ ବିଷୟ ଗୁଡିକ ନିବାରଣ ନିମନ୍ତେ ଲାଗୁ ହୋଇଥିବା ଓଡିଶା ଡାହାଣୀ ହତ୍ୟା ନିବାରଣ ଆଇନ, ୨୦୧୪ ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ । ଏହି ଆଇନରେ ଉଲ୍ଲେଖ ଅଛି ଯେ, କୌଣସି ଲୋକ ଡାହାଣୀ ହତ୍ୟା କରିବେ ନାହିଁ ବା ଅନ୍ୟର କ୍ଷତି କିମ୍ବା ଆଘାତ କରିବାକୁ ଡାହାଣୀ ବା ଗୁଣୀଗାରେଡି ବିଦ୍ୟା ଶିଖିବେ ନାହିଁ ବା ଅଭ୍ୟାସ କରିବେ ନାହିଁ । ଡାହାଣୀ ହତ୍ୟା ପାଇଁ ଦଣ୍ଡ, ଡାହାଣୀ ବିଦ୍ୟା ବ ଶବରୀ ବିଦ୍ୟା ପାଇଁ ଦଣ୍ଡ, ଗୁଣିଆ ମାନଙ୍କ ପାଇଁ ଦଣ୍ଡ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଉକ୍ତ କର୍ମଶାଳାରେ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ପାଢୀ, ସ୍ଵାତୀର ସମ୍ପାଦକ ଶ୍ରୀ ହରିଶଙ୍କର ରାଉତଙ୍କ ସମେତ ଜିଲ୍ଲା ସ୍ତରୀୟ ପଦାଧିକାରୀ, ଫୁଲବାଣୀ, ଫିରିଙ୍ଗିଆ ଓ ଖଜୁରୀପଡା ବ୍ଲକର ସରକାରୀ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ସ୍ଵେଚ୍ଛାସେବୀ ଅନୁଷ୍ଠାନର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ବୈଦ୍ୟନାଥ ଖଟୁଆ ଏବଂ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ଏହି କାର୍ମଶାଳାକୁ ପରିଚାଳନା କରିଥିଲେ ।