TKNEWS
March 8,2021
କନ୍ଧମାଳ ଜିଲ୍ଲାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଅଛି । କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃନ୍ଦା ଡି. ମୂଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ” ମହିଳାମାନେ କେବେବି ଅବଳା ଦୁର୍ବଳା ନୁହନ୍ତି । ଏହି ଆତ୍ମ ବିଶ୍ଵାସ ସେମାନଙ୍କର ରହିବା ଉଚିତ । ସେମାନେ ଯେଉଁ ସ୍ଥିତିରେ ଥିଲେବି କଠିନ ପରିଶ୍ରମ ଏବଂ ଆତ୍ମ ବିଶ୍ଵାସ ବଳରେ ନିଜ ନିଜ ଲକ୍ଷ୍ୟ ସ୍ଥଳରେ ଦିନେ ନ ଦିନେ ପହଞ୍ଚିପାରିବେ । ମିଳିମିଶି କାମ କଲେ ସଶକ୍ତ ହେବାସହିତ ନିଜ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ପୁରୁଷମାନଙ୍କୁ ଦେଖାଇଦେବେ ଯେ, ସେମାନେ କୌଣସି ସ୍ଥିତିରେ ବି ନ୍ୟୁନ ନୁହନ୍ତି । ”
ସେହିପରି ସମ୍ମାନୀତ ଅତିଥି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ କହିଲେ ” ମହିଳାମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ତାଙ୍କ ବିଭାଗର ପ୍ରଚେଷ୍ଟା ଜାରି ରହିଛି । ତେବେ ମହିଳାମାନଙ୍କର ସହଯୋଗ ନିହାତି ଆବଶ୍ୟକ ଏବଂ ସେମାନେ ପ୍ରତ୍ୟକ କାମରେ ସାହସ ପ୍ରଦର୍ଶନ କରିବା ଉଚିତ ବୋଲି ଅନୁରୋଧ କରିଥିଲେ । ”
ଜିଲ୍ଲା ଆଇନସେବା ପ୍ରାଧୀକରଣ ସଚିବ ପତାଞ୍ଜଳି ସାହୁ କହିଲେ ଯେ,ମହଲା ମାନେ ନିଜକୁ ଅବଳା ଦୁର୍ବଳା ଭାବିବା ସମୟ ଆଉ ନାହିଁ । ସମାଜରେ ସେମାନଙ୍କର ସମାନ ଅଧିକାର ରହିଛି । ସମ୍ବିଧାନର ଧାରା ୧୫ ଓ ୧୬ ରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରଖାଯାଇଛି । ସେ ମହିଳା ନିର୍ଯ୍ୟାତନା ଆଇନ, ଘରୋଇ ହିଂସା ଆଇନ ତଥା ପୀଡିତାମାନଙ୍କର କ୍ଷତିପୂରଣ ଉପରେ ସମ୍ୟକ ଧାରଣା ଦେଇଥିଲେ । କନ୍ଧମାଳ ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ କେଉଁଠି ବି ନ୍ୟୁନ କରାଯାଇନାହିଁ । ବରଂ ସେମାନେ ନିଜ ନିଜକୁ ନ୍ୟୁନ ବୋଲି ଭାବୁଥିବାରୁ ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏଭଳି ଦିବସ ପାଳନ କରାଯାଉଛି ବୋଲି ସେ ଅନୁଭବ କରୁଛନ୍ତି । ଯେତେବେଳେ ସେମାନେ ପୁରୁଷ ମାନଙ୍କ ସହ ସମକକ୍ଷ ଏବଂ ସଶକ୍ତ ବୋଲି ଅନୁଭବ କରିବେ ସେତେବେଳେ ବୋଧହୁଏ ଏହି ଦିବସ ପାଳନର ଆବଶ୍ୟକତା ପଡିନପାରେ ବୋଲି ଶ୍ରୀ ନନ୍ଦ କହିଥିଲେ ।
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ କହିଲେ ଯେ, ଯେଉଁଦିନ ମହିଳାମାନେ ନିଜର ହକକୁ ଜାହିର କରିବା ପାଇଁ ସାହସ କରି ନିଜ ନିଜର କାର୍ଯ୍ୟ ସମ୍ପାଦନ କରିପାରିବେ ସେହି ଦିନଠାରୁ ସେମାନେ ନିଜକୁ ଅବଳା ଦୁର୍ବଳା ବୋଲି ଅନୁଭବ କରିବେ ନାହିଁ l ଫଳରେ ସେମାନେ କାହାର ନା କାହାର ଚାପରେ ଗର୍ଭ ନିର୍ଧାରଣ କରିବାକୁ ବାଧ୍ୟ ହେବେ ନାହିଁ l ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ ନାରୀମାନେ ଆଜି ଶକ୍ତି ସମ୍ପର୍ଣ୍ଣା ଏବଂ ସବୁଦୃଷ୍ଟିରୁ ପୁରୁଷମାନଙ୍କ ସହିତ ସମକକ୍ଷ ବୋଲି କହିଥିଲେ l ପୁରୁଷମାନଙ୍କ ଦ୍ୱାରା ପୁସ୍ତକରେ ନାରୀମାନଙ୍କୁ ଅବଳା ଦୁର୍ବଳା ବୋଲି ଅଭିହିତ କରାଯାଇଛି l ମହିଳାମାନେ ନିଜେ ଅବଳା ନୁହଁନ୍ତି ବୋଲି ଏବେ ଭାବିଲେଣି l ତେଣୁ ସମୟ ଆସିଛି ସେମାନେ ନିଜେ କ’ଣ ତା’ଉପରେ ଲେଖାଲେଖି କରିବାକୁ ପରାମର୍ଶ ଦେଇଥିଲେ l ବାଲ୍ୟ ବିବାହରୁ ନିଜକୁ ରକ୍ଷାକରିଥିବା ଝିଅ ଯୋଉଁମାନେକି ଏବେ ବାଲ୍ୟ ବିବାହକୁ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଶପଥ ନେଇଛନ୍ତି ସେହି ଝିଅମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଯେଉଁ ଝିଅମାନେ ନିଜ ଇଛାରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ସଭା ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ଓ ସ୍ୱାତୀ, କନ୍ଧମାଳ, ବନବାସୀ ସେବା ସମିତି, ବାଲିଗୁଡା, ସଖୀ ଓ ଝୋଲା ସୋସାଇଟି ସହଯୋଗରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ସହଯୋଗୀ ସଂସ୍ଥାର ଅଧିକାରୀ, ସରକାରୀ ପଦାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି l