ମୁଁ ଏକ ଥୁଣ୍ଟା ଗଛ
ନା ଅଛି ଫୁଲ ଫଳ, ନା ଅଛି ପତ୍ର
ତଥାପି ଆଣ୍ଠୁମାଡ଼ି ଛିଡା ହୋଇଛି ମୁଁ,
ମୋର ଶେଷ ନିଶ୍ବାସ ଯାଏ….
ମଣିଷ ସମାଜ ପାଇଁ
ସୁଖ ସାଉଣ୍ଟି ସାଉଣ୍ଟି
ଆଜି ହରେଇ ବସିଛି ମୁଁ,ମୋର
ଅସ୍ତିତ୍ବ ଓ ବାସ୍ତବତା…..
କେତେ ପଥ ପରିଶ୍ରମୀ ଙ୍କର
ଆସରା ପାଲଟିଛି ମୁଁ,
କେତେ ଯେ ବାଟୋଇ ଙ୍କର
ସାଥି ପାଲଟିଛି ମୁଁ,
ତୁମ ଥକାପନ କୁ
ମୋର କଅଁଳ ପତ୍ରର
ସୁଲୁସୁଲିଆ ପବନରେ
ଶିତଳତା ଭରିଦିଏ,
ମୋ ଛାଇ ତଳେ ତୁମ କାଳ୍ପନିକ,
ଜୀବନରେ ସ୍ଵପ୍ନ ଭରିଦିଏ…..
କିନ୍ତୁ…………
ଆଜି ମୁଁ ଏକ ଥୁଣ୍ଟା ଗଛ
ନା ଅଛି ପତ୍ର, ତୁମ ଝାଳ ମାରିବାକୁ
ନା ଅଛି ଫଳ, ତୁମ ଭୋକ ମାରିବାକୁ
ନା ଅଛି ଫୁଲ, ତୁମ ମନରେ…
ପ୍ରେମ ଉଦ୍ ବେଗ କରିବାକୁ…
କଇଁ କଇଁ ହୋଇ କାନ୍ଦିଲେ ବି
ମୋ କୋଳରେ ଶୋଇଯାଇଥିବା
ବାଟୋଇ ଟି ଆଜି ମୋତେ,
ଫେରି ଚାହୁଁନି…..
ତଥାପି ଅପେକ୍ଷା କରିଛି
ମୋର ଶେଷ ନିଶ୍ବାସ ଯାଏ,
ତୁମ ଅନ୍ତିମ ସମୟରେ…
ତୁମ କାୟା କୁ ଦଗ୍ଧ କରି,
ତୁମକୁ ମୋକ୍ଷ ଦେବି…….
ସେଥିପାଇଁ ଛିଡ଼ା ହୋଇଛି
ତୁମ ପାଖେ ଆଜି,
ଥୁଣ୍ଟା ଗଛ ସାଜି ।
ଲିଜାଲିନ୍ ଭୋଇ
ଓଡ଼ିଆ ଅଧ୍ୟାପିକା
ଜୀବନ ଜ୍ୟୋତି ମହାବିଦ୍ୟାଳୟ, ରାଇକିଆ, କନ୍ଧମାଳ