ଭୁବନେଶ୍ୱର ( 7/01/22) ଓଡିଶାର ସମସ୍ତ ନାଗରିକମାନଙ୍କୁ ନିରାପଦ ବାସଭବନ ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ l ଉକ୍ତ ଲକ୍ଷ୍ୟ ପୂରଣ ଦିଗରେ ଓଡିଶା ସରକାର ସଂକଳ୍ପବଦ୍ଧ ଓ ନିରନ୍ତର ଚେଷ୍ଟା କରି ଗତ 2014-15 ମସିହାରୁ ଏ ପର୍ଯ୍ୟନ୍ତ 31 ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର ତିଆରି କରି ସାରା ଦେଶରେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି l
କଚ୍ଚା ଘରେ ରହୁଥିବା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇବା ପାଇଁ 2014 ମସିହାରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାର ଶୁଭାରମ୍ଭ କରିଥିଲେ l ଏହି ଯୋଜନାରେ ନୂତନ ପକ୍କା ଘର ନିର୍ମାଣର ବ୍ୟବସ୍ଥା ଥିବା ସ୍ଥଳେ, ଅବସ୍ଥାନ କରୁଥିବା ଘର ମରାମତି ତଥା ଉର୍ନ୍ନତିକରଣ ନିମନ୍ତେ କୌଣସି ଅନୁଦାନ ରାଶିର ବ୍ୟବସ୍ଥା ନଥିଲା l ଏହାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା ମାର୍ଗଦର୍ଶୀକାରେ ନିମ୍ନ ଅତିରିକ୍ତ ବ୍ୟବସ୍ଥା ସଂଯୋଗ କରିଛନ୍ତି l
ସାମ୍ପ୍ରତିକ କରୋନା ମହାମାରୀ ସଙ୍କଟ ସମୟରେ ଲୋକମାନଙ୍କର ଦୁର୍ବଳ ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ,12 ଲକ୍ଷ 25 ହଜାର ପରିବାର ଯେଉଁମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ )ରେ ପକ୍କା ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଗୃହ ମଞ୍ଜୁର ପାଇବାରୁ ବଞ୍ଚିତ ଅଛନ୍ତି, ସେହି ପରିବାରଙ୍କୁ ସେମାନେ ବର୍ତମାନ ବସବାସ କରୁଥିବା ଗୃହକୁ ମରାମତି କରି ଏହାକୁ ବାସୋପଯୋଗୀ କରିବା ନିମନ୍ତେ ଏକକାଳୀନ 5,000 ଟଙ୍କାର ଆର୍ଥିକ ସହାୟତା ବିଜୁ ପକ୍କା ଘର ଯୋଜନାରୁ ଯୋଗାଇ ଦେବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି l ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରାଯାଇ ଖୁବ ଶୀଘ୍ର ଏହି ଅନୁଦାନ ରାଶି ସିଧାସଳଖ ସେମାନଙ୍କ ଜମା ଖାତାରେ ଦାଖଲ କରାଯିବ l
ଯେକୌଣସି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଯେପରିକି – ବିଜୁ ପକ୍କା ଘର ଯୋଜନା, ପକ୍କା ଘର ଯୋଜନା (ଖଣି ), ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ), ଇନ୍ଦିରା ଆବାସ ଯୋଜନା ଆଦିରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀ ପରିବାରଙ୍କୁ,ସେମାନଙ୍କର ଗୃହର ମରାମତି ଏବଂ ଉର୍ନ୍ନତିକରଣ ପାଇଁ ନିୟମିତ ବ୍ୟବଧାନରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାରୁ ଆର୍ଥିକ ସହାୟତା ଯୋଗାଇଦେବେ l ବର୍ତମାନ ଏହି ପରିବାରମାନଙ୍କୁ 3,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ଆର୍ଥିକ ସହାୟତା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦାଖଲ କରାଯିବ l
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଭିଡିଓ କନ୍ଫରେନ୍ସି ଜରିଆରେ ବିଜୁ ପକ୍କା ଘର ଯୋଜନାର ଘର ମରାମତି ରାଶି ବିତରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି l ଆଜି 8,40,941 ପରିବାରଙ୍କୁ 3,000 ଟଙ୍କାର ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି l ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ଏହି ଘର ମରାମତି ଅନୁଦାନ ରାଶି ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି lଏହି ଯୋଜନାରେ ପ୍ରାୟ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ ଏବଂ ଏହାକୁ କାର୍ଯ୍ୟକାରୀ ପାଇଁ ଉକ୍ତ ଯୋଜନା ପାଣ୍ଠିରୁ ମୋଟ 1,444 କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି l